ବଡ଼ ଖବର: ଏଥର ଗଣେଶ ପୂଜାରେ ବାଜିବନି ଡିଜେ, ରାତି 10ଟା ପରେ ମେଲୋଡ଼ି ମନା

ଗଣେଶ ପୂଜାକୁ ନେଇ ଆସିଲା ଏକ ବଡ଼ ଖବର । ଚଳିତ ବର୍ଷ ଗଣେଶ ପୂଜାରେ କଟକ ଏବଂ ଭୁବନେଶ୍ବରରେ ବାଜିବନି ଡିଜେ । ଆତସବାଜି ବି ନିଷେଧ । କେବଳ ସେତିକି ନୁହେଁ ରାତି ୧୦ଟା ପରେ ମେଲୋଡି ବି ମନା ।

କଟକ: ଆଉ ମାତ୍ର କିଛି ଦିନ ରହିଲା ଗଣେଶ ପୂଜା । ଏନେଇ ଉତ୍ସବମୁଖର ଟ୍ବିନ ସିଟି । ତେବେ ଏହା ଭିତରେ ଆସିଲା ଏକ ବଡ଼ ଖବର ।  ସହରରେ ଉତ୍ସବ ସୁରୁଖୁରୁରେ ପରିଚାଳନା ପାଇଁ ସୁରକ୍ଷା, ଭିଡ଼ ଏବଂ ଶବ୍ଦ ନିୟନ୍ତ୍ରଣ ସମ୍ପର୍କରେ ଏକ ନିର୍ଦ୍ଦେଶାବଳୀ ଜାରି କରିଛି ପ୍ରଶାସନ ।

ଚଳିତ ବର୍ଷ ଗଣେଶ ପୂଜାରେ କଟକ ଏବଂ ଭୁବନେଶ୍ବରରେ ବାଜିବନି ଡିଜେ । ଆତସବାଜି ବି ନିଷେଧ । କେବଳ ସେତିକି ନୁହେଁ ରାତି ୧୦ଟା ପରେ ମେଲୋଡି ବି ମନା । ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । କେଵଳ ପାରମ୍ପରିକ ବାଦ୍ୟ ବାଜିବାକୁ ଅନୁମତି ଦେଇଛି କମିଶନରେଟ୍‌ ପୋଲିସ ।

କଟକ ଡିସିପି ଖିଲାଡି ଋଷିକେଶ ଜ୍ଞାନଦେବ ଘୋଷଣା କରିଛନ୍ତି ଯେ ସମସ୍ତ ପୂଜା ମଣ୍ଡପରେ ବିଦ୍ୟୁତ ସଂଯୋଗ ପାଇଁ ଉଚ୍ଚମାନର କିମ୍ବା ନୂତନ ତାର ବ୍ୟବହାର କରିବା ବାଧ୍ୟତାମୂଳକ ହେବ ଏବଂ ଅଗ୍ନିକାଣ୍ଡ ରୋକିବା ପାଇଁ ଅଗ୍ନି ନିର୍ବାପକ ଯନ୍ତ୍ର ପ୍ରସ୍ତୁତ ରଖିବାକୁ ପଡିବ।

ସେପଟେ ଭୁବନେଶ୍ବରରେ ଏଥର ଭଷାଣି ଯାତ୍ରାରେ ଡିଜେ ବାଦ୍ୟଯନ୍ତ୍ରକୁ ନିଷେଧ କରାଯାଇଛି । ପୂଜା କମିଟି ଚାହିଁଲେ କେବଳ ପାରମ୍ପରିକ ବାଦ୍ୟଯନ୍ତ୍ର ବ୍ୟବହାର କରିପାରିବେ । ସେହିଭଳି ରାତି ୧୦ଟା ପରେ ମେଲୋଡି କରିବାକୁ ଅନୁମତି ମିଳିବ ନାହିଁ । ମଣ୍ଡପଗୁଡ଼ିକରେ ସିସିଟିଭି ବାଧ୍ୟତାମୂଳକ କରାଯାଇଛି । ବଳପୂର୍ବକ ଚାନ୍ଦା ଆଦାୟ କଲେ କିମ୍ବା ଧମକାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବୈଠକରେ ଅଗଷ୍ଟ ୨୭ ତାରିଖ ଗଣେଶ ପୂଜା ପାଳନ ପରେ ମୂର୍ତ୍ତି ବିସର୍ଜନ ଉତ୍ସବର ପ୍ରଥମ ପର୍ଯ୍ୟାୟ ଅଗଷ୍ଟ ୩୧ ତାରିଖରେ ଅନୁଷ୍ଠିତ ହେବ । ଯେତେବେଳେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ବିସର୍ଜନ ଶୋଭାଯାତ୍ରା ଯଥାକ୍ରମେ ସେପ୍ଟେମ୍ବର ୭ ଏବଂ ୧୪ ତାରିଖରେ ବାହାର କରାଯିବ।

ବୈଠକରେ ଏହା ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା ଯେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୦ଟା ସୁଦ୍ଧା କୌଣସି ଅଶ୍ଳୀଳତା ବିନା ଶେଷ ହେବା ଉଚିତ। ଏହା ସହିତ, ବିସର୍ଜନ ଶୋଭାଯାତ୍ରା ସମୟରେ ଶବ୍ଦ ସ୍ତର ନିୟନ୍ତ୍ରଣ କରିବା ପାଇଁ ଧ୍ବନି ଅବରୋଧକ ବ୍ୟବହାର କରାଯିବା ଉଚିତ।

Leave a Comment