ରାଜ୍ୟ ଖବରଦେଶ ଦୁନିଆ

ବର୍ଷକୁ କେବଳ ପାଞ୍ଚ ଘଣ୍ଟା ପାଇଁ ଖୋଲିଥାଏ ଏହି ମନ୍ଦିରର କବାଟ

ଭାରତରେ ଅନେକ ମନ୍ଦିର ରହିଛି, ଯାହା କି ବହୁତ ପ୍ରାଚୀନ ଅଟେ | ଦୂର-ଦୂରାନ୍ତରୁ ଲୋକମାନେ ଏହି ମନ୍ଦିରକୁ ଆସି ଭଗବାନଙ୍କର ଦର୍ଶନ କରିଥାନ୍ତି | ଏହି ମନ୍ଦିରଗୁଡ଼ିକ ପ୍ରାୟ ସବୁଦିନ ଖୋଲା ରହିଥାଏ | ତେବେ ଏପରି ଏକ ପ୍ରାଚୀନ ମନ୍ଦିର ଭାରତରେ ଅଛି, ଯାହା କି ବର୍ଷକୁ ମାତ୍ର ୫ ଘଣ୍ଟା ପାଇଁ ହିଁ ଖୋଲିଥାଏ | ଏହି ଅନନ୍ୟ ମନ୍ଦିର ଛତିଶଗଡ଼ରେ ଅବସ୍ଥିତ | ଏହି ମନ୍ଦିରର ନାମ ନିରଇ ମାତା ମନ୍ଦିର ଅଟେ | ମନ୍ଦିରର କବାଟକୁ କିଛି ଘଣ୍ଟା ପାଇଁ ଭକ୍ତମାନଙ୍କ ପାଇଁ ଖୋଲା ଯାଇଥାଏ |

ନିରଇ ମାତା ମନ୍ଦିର ଉପରେ କୋଟି କୋଟି ଲୋକଙ୍କର ବିଶ୍ୱାସ ରହିଛି ଏବଂ ଏଠାକୁ ବହୁ ସଂଖ୍ୟାରେ ଭକ୍ତ ଆସି ମାଆଙ୍କୁ ଦର୍ଶନ କରିଥାନ୍ତି | ବିଶ୍ୱାସ କରାଯାଏ ଯେ ଏହି ମନ୍ଦିରକୁ ଆସି ମାଙ୍କୁ ପୂଜା କଲେ ସବୁ ଇଚ୍ଛା ପୂରଣ ହୁଏ | ତେବେ ଏହି ମନ୍ଦିର ବର୍ଷକୁ ମାତ୍ର ପାଞ୍ଚ ଘଣ୍ଟା ପାଇଁ ଖୋଲାଯାଇଥାଏ | ଏପରି ପରିସ୍ଥିତିରେ ଯେବେ ବି ଏହି ମନ୍ଦିର ଖୋଲିଥାଏ, ସେତେବେଳେ ବହୁତ ସଂଖ୍ୟାରେ ଭକ୍ତମାନଙ୍କର ଭିଡ଼ ଲାଗିଯାଏ |

ଏହି ମନ୍ଦିରରେ ଅନେକ ନିୟମ ରହିଛି ଏବଂ ଏହି ନିୟମଗୁଡିକ ଅନୁଯାୟୀ ମାଙ୍କୁ ନଡ଼ିଆ ଏବଂ ଦୀପ ହିଁ ଅର୍ପଣ କରାଯାଇପାରିବ | ଏହାବ୍ୟତୀତ ମାଙ୍କୁ ଅନ୍ୟ କୌଣସି ଜିନିଷ ଅର୍ପଣ କରିବା ବର୍ଜିତ ବୋଲି ବିଶ୍ୱାସ କରାଯାଏ | ଏହି ମନ୍ଦିରକୁ କେବଳ ଚୈତ୍ର ନବରାତ୍ରିରେ ଖୋଲାଯାଇଥାଏ | ଏହି ମନ୍ଦିର ଦିନରେ ୫ଘଣ୍ଟା ପାଇଁ ହିଁ ଖୋଲାଯାଏ | ମନ୍ଦିରକୁ କେବଳ ଗୋଟିଏ ଦିନ ସକାଳ ୪ଟାରେ ଖୋଲା ଯାଇଥାଏ ଏବଂ ସକାଳ ୯ଟାରେ ଏହାକୁ ବନ୍ଦ କରି ଦିଆଯାଏ | ତାପରେ ଏକ ବର୍ଷ ପରେ ଏହାକୁ ଖୋଲାଯାଏ |

ବର୍ଷକୁ କେବଳ ଦିନେ ମନ୍ଦିର ଖୋଲା ଯାଉଥିବାରୁ ଲୋକମାନଙ୍କର ହଜାର ହଜାର ସଂଖ୍ୟାରେ ଭିଡ ଲାଗିଥାଏ | ତେବେ ବର୍ଷକୁ ମାତ୍ର ଦିନେ ଏହି ମନ୍ଦିରକୁ ଖୋଲାଯିବା ପଛରେ ଏକ କାରଣ ଅଛି ବୋଲି କୁହାଯାଏ | ମନ୍ଦିରର ପୂଜାରୀ ଅନୁଯାୟୀ, ଏହି ମନ୍ଦିର ନିରଇ ମାତାଙ୍କୁ ସମର୍ପିତ ଅଟେ | ପ୍ରତିବର୍ଷ ଚୈତ୍ର ନବରାତ୍ର ସମୟରେ ହିଁ ମା ନିଜ ଜ୍ୟୋତିକୁ ପ୍ରଜ୍ଵଳିତ କରିଥାନ୍ତି | ଏହି ଜ୍ୟୋତି ବର୍ଷକୁ ମାତ୍ର ଥରେ ଜଳିଥାଏ ଏବଂ ତାପରେ ନିଜେ ନିଜେ ଶାନ୍ତ ହୋଇଯାଏ | ଯେଉଁ କାରଣରୁ ଏହି ମନ୍ଦିରକୁ ସେତେବେଳେ ଯାଇ ଖୋଲାଯାଏ, ଯେତେବେଳେ ଜ୍ୟୋତି ଜଳିଥାଏ |

ଭକ୍ତମାନେ ଏହି ମନ୍ଦିରକୁ ଆସି ଜ୍ୟୋତି ଦର୍ଶନ କରିଥାନ୍ତି | ସେହିପରି ଏହି ଚମତ୍କାର କିପରି ହୋଇଥାଏ, ଏହା ଆଜି ପର୍ଯ୍ୟନ୍ତ କେହି ବି ଜାଣିନାହାନ୍ତି | ଗ୍ରାମବାସୀମାନେ କୁହନ୍ତି ଯେ ଏହି ଜ୍ୟୋତିକୁ ନିରଇ ଦେବୀ ହିଁ ଜାଳିଥାନ୍ତି | ଏହି ଜ୍ୟୋତି ତେଲ ବିନା ୯ ଦିନ ପର୍ଯ୍ୟନ୍ତ ଜଳିଥାଏ | ଯେଉଁ ଲୋକମାନେ ଏହି ଜ୍ୟୋତିର ଦର୍ଶନ କରିନିଅନ୍ତି, ସେମାନଙ୍କର ସବୁ ଇଚ୍ଛାକୁ ମା ପୁରା କରିଦିଅନ୍ତି |

ମହିଳାମାନେ କରନ୍ତି ନାହିଁ ପୂଜାପାଠ :-

ନିରଇ ମାତା ମନ୍ଦିରରେ ମହିଳାଙ୍କୁ ପ୍ରବେଶ କରିବାର ଅନୁମତି ନାହିଁ ଏବଂ ସେମାନଙ୍କ ଦ୍ୱାରା ପୂଜାପାଠ ମଧ୍ୟ କରାଯାଏ ନାହିଁ | ଏପରି ପରିସ୍ଥିତିରେ କେବଳ ପୁରୁଷମାନେ ହିଁ ପୂଜା କରିଥାନ୍ତି | କେବଳ ଏତିକି ନୁହେଁ, ମନ୍ଦିରରେ ଯେଉଁ ପ୍ରସାଦ ଦିଆଯାଏ, ତାହାକୁ ମହିଳାଙ୍କୁ ଦେବା ବର୍ଜିତ ବୋଲି କୁହାଯାଏ | ବିଶ୍ୱାସ କରାଯାଏ ଯେ ଯଦି କୌଣସି କମହିଳା ମନ୍ଦିରର ପ୍ରସାଦକୁ ଖାଏ, ତେବେ ତାର ଜୀବନର ଖରାପ ସମୟ ଆରମ୍ଭ ହୋଇଯାଏ ଏବଂ ତା ସହିତ ସବୁବେଳେ ବିପଦ ଲାଗିରୁହେ | ଯେଉଁ କାରଣରୁ ଏହି ମନ୍ଦିରର ପ୍ରସାଦକୁ ମହିଳାମାନେ ଖାଇବା ତ ଦୂରର କଥା ଏହାକୁ ଛୁଇଁନଥାନ୍ତି |

Leave a Reply

Your email address will not be published. Required fields are marked *